କୋଭିସିଲ୍ଡକୁ ନେଇ ଆଶ୍ବସ୍ତିକର ଖବର; '୧୦ ଲକ୍ଷରେ ମାତ୍ର ୭ରୁ ୮ଜଣଙ୍କ ଠାରେ ପାର୍ଶ୍ବପ୍ରତିକ୍ରିୟା'

Published By : Prameya-News7 Bureau | May 01, 2024 IST

ନୂଆଦିଲ୍ଲୀ: କୋଭିସିଲ୍ଡରେ ପାର୍ଶ୍ବପ୍ରତିକ୍ରିୟା ନେଇ ବ୍ରିଟେନ୍ କୋର୍ଟରେ ଆଷ୍ଟ୍ରାଜେନେକା ସ୍ବୀକାର କରିବା ପରେ ଭାରତରେ ଭୟ ଖେଳି ଗଲାଣି । ଏହାରି ଭିତରେ ଏହାକୁ ନେଇ ଆଶ୍ବସ୍ତିକର ଖବର ଦେଇଛି ଆଇସିଏମଆର୍ । ଦି ଇଣ୍ଡିଆନ କାଉଁସିଲ୍ ଅପ୍ ମେଡିକାଲ ରିସର୍ଚ୍ଚର ଜଣେ ପୂର୍ବତନ ବୈଜ୍ଞାନିକ କୋଭିସିଲ୍ଡକୁ ନେଇ କୌଣସି ପ୍ରକାର ଭୟଭୀତ ହେବାର ନାହିଁ ବୋଲି କହିଛନ୍ତି । ଏଥିରେ ସାଇଡ୍ ଇଫେକ୍ଟ ବହୁତ କମ୍ ମାମଲାରେ ଦେଖାଯାଉଛି । କୋଭିସିଲ୍ଡ ନେଇଥିଲା ୧୦ ଲକ୍ଷ ଲୋକଙ୍କ ମଧ୍ୟରେ ମାତ୍ର ୭ରୁ ୮ ଜଣଙ୍କୁ ହାର୍ଟ ଆଟାକ୍, ବ୍ରେନ୍ ଷ୍ଟ୍ରୋକ୍, ରକ୍ତ ଜମାଟ ବାନ୍ଧି ଭଳି ସମସ୍ୟ ଦେଖା ଦେଇଥାଏ । ଏହି ପାର୍ଶ୍ବ ପ୍ରତିକ୍ରିୟାକୁ ଥ୍ରୋମ୍ବୋସିସ୍ ଥ୍ରୋମ୍ବୋସାଇଟୋପେନିଆ ସିଣ୍ଡ୍ରୋମ୍ କୁହାଯାଏ । ଆଇସିଏମଲ ପୂର୍ବ ବୈଜ୍ଞାନିକ ଡା ରମନ ଗାଙ୍ଗଖେଡକର କହିଛନ୍ତି, ଏହି ଭ୍ୟାକ୍ସିନରେ ଜୀବନ ପ୍ରତି କୌଣସି ବିପଦ ନାହିଁ । 

କୋଭିସିଲ୍ଡ ଟିକାରେ   ପାର୍ଶ୍ବ ପ୍ରତିକ୍ରିୟା ଏକ ଅପବାଦ ଏବଂ ଏହା ଦୁର୍ଲଭ ଘଟଣା । ଡା ରମନ ଗାଙ୍ଗଖେଡକର କହିଥିଲେ, କୋଭିଡ୍ ପ୍ରଥମ ଡୋଜ୍ ସବୁଠୁ ବିପଦଜନକ । ଦ୍ବିତୀୟ ଡୋଜ୍ ବିପଦର ମାତ୍ରା କମିଯାଇଥାଏ । ଆଉ ତୃତୀୟ ଡୋଜରେ ନାକୁ ମାତ୍ର ବିପଦ ରହିଥାଏ ବୋଲି ଡା ରମନ କହିଛନ୍ତି । କୋଭିସିଲ୍ଡ ଟିକାରେ  ପାର୍ଶ୍ବ ପ୍ରତିକ୍ରିୟା କେବଳ ପ୍ରଥମ ଡୋଜରେ ଦେଖାଯାଇଥାଏ । ପ୍ରଥମ ଡୋଜ୍ ଟିକା ନେବାର ଦୁଇରୁ ତିନି ମାସ ମଧ୍ୟରେ ଏହାର ପ୍ରବାହ ଥାଏ । ମାତ୍ର ଭ୍ୟାକ୍ସିନ ନେବାର ଗୋଟିଏ ବର୍ଷ ପରେ ଏହାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ରହିନଥାଏ । ତେଣୁ ଏଥିରେ କିଛି ଭୟଭୀତ ହେବାର ନାହିଁ ବୋଲି କହିଛନ୍ତି । 

କୋଭିସିଲ୍ଡ ଟିକାକୁ ନେଇ ଚର୍ଚ୍ଚା ବ୍ରିଟେନରୁ ଆରମ୍ଭ ହୋଇଥିଲା । ଜେମି ସ୍କଟ୍‌ ନାମକ ଜଣେ ବ୍ୟକ୍ତି ଟିକା ନେବା ପରେ ଶରୀରରେ ପାର୍ଶ୍ବ ପ୍ରତିକ୍ରିୟା ହେଉଥିବା ନେଉ ବ୍ରିଟେନ୍‌ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଷ୍ଟ୍ରାଜେନେକାର କୋଭିଡ ଟିକା ନେବା ପରେ ସେ ‘ବ୍ରେନ୍‌ ଡ୍ୟାମେଜ୍‌’ର ଶିକାର ହୋଇଥିବା ସେ କହିଥିଲେ । ଏହାଛଡ଼ା ଅନ୍ୟ କେତେକ ଲୋକ ମଧ୍ୟ ଅଦାଲତରେ ଏହାକୁ ନେଇ ଅଭିଯୋଗ କରିଥିଲେ । ଟିକା ନେବା ପରେ ସେମାନେ ପାଶ୍ୱର୍ପ୍ରତିକ୍ରିୟାର ଶିକାର ହୋଇଥିବା କହିଥିଲେ । ଖୋଦ କମ୍ପାନି କୋର୍ଟରେ ବିରଳ ପାଶ୍ୱର୍ପ୍ରତିକ୍ରିୟା ନେଇ କୋର୍ଟରେ ସ୍ୱୀକାର କରିଛି । 
 ଟିଟିଏସ୍‌ ପ୍ରଭାବରେ ଶରୀରରେ ରକ୍ତ ଜମାଟ ବାନ୍ଧିବା ସ୍ଥିତି ଉପୁଜିଥାଏ । ଏହାକୁ ‘ବ୍ଲଡ୍‌ କ୍ଲଟ୍‌’ କୁହାଯାଏ । ବ୍ଲଡ୍‌ କ୍ଲଟ୍‌ ଯୋଗୁ ମସ୍ତିଷ୍କାଘାତ ଓ ହୃଦ୍‌ଘାତ ଭଳି ଆଶଙ୍କା ବଢ଼ିଯାଏ । ଏହାବ୍ୟତୀତ ଏହି ସିଣ୍ଡ୍ରୋମ୍‌ ଶରୀରରେ ପ୍ଲେଟ୍‌ଲେଟ୍‌ସ କମିବାର କାରଣ ସାଜିପାରେ । କରୋନା ମହାମାରୀ ବେଳେ ବ୍ରିଟେନ୍‌ର ଅକ୍ସଫୋର୍ଡ ୟୁନିଭର୍ସିଟି ସହ ଚୁକ୍ତି କରି ଆଷ୍ଟ୍ରାଜେନେକା କୋଭିଡ ଟିକା ବିକଶିତ କରିଥିଲା । କ୍ଲିନିକାଲ୍‌ ଟେଷ୍ଟରୁ ସଫଳତା ମିଳିବା ପରେ ଏହା ଭାରତ ସମେତ ବିଭିନ୍ନ ଦେଶକୁ ଯୋଗାଯାଇଥିଲା । ଭାରତରେ ପୁନେଭିତ୍ତିକ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ସହ ଚୁକ୍ତି ଦ୍ୱାରା ଦେଶରେ ଟିକା ଉତ୍ପାଦନ କରିଥିଲା ଆଷ୍ଟ୍ରାଜେନେକା । ଏହାକୁ ଭାରତରେ କୋଭିସିଲ୍ଡ ଟିକା ନାମରେ ବଜାର ପ୍ରବେଶ କରାଯାଇଥିଲା । ଦେଶରେ ଏହି ଟିକାର ମୋଟ ୧୭୪.୯୪ କୋଟିରୁ ଅଧିକ ଡୋଜ୍‌ ଦିଆଯାଇଛି । 

  

  • Covid
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.